ନୂଆଦିଲ୍ଲୀ ୧୨।୦୨; ରଣବୀର ଆଲ୍ଲହାବାଦିଆଙ୍କ ବିବାଦ ବଢିବାରେ ଲାଗିଛି । 'ଇଣ୍ଡିଆଜ ଗଟ୍ ଲାଟେଣ୍ଟ୍'ରେ ୟୁଟ୍ୟୁବର ରଣବୀର ଇଲାହାବାଦିଆ ଜଣେ ପ୍ରତିଯୋଗୀଙ୍କ ସହ କଥାବାର୍ତ୍ତା ବେଳେ ତାଙ୍କ ପରିବାର ବିଷୟରେ ଅଶ୍ଳୀଳ ମନ୍ତବ୍ୟ ଦେଇଥିଲେ। ଯାହା ବ୍ୟକ୍ତିଗତ ସମ୍ପର୍କକୁ ନେଇ ଅଭଦ୍ରାମୀର ସବୁ ସୀମା ଟପିଯାଇଥିଲେ। ଏହି ମାମଲାରେ ବରିଷ୍ଠ ଅଭିନେତା ମୁକେଶ ଖାନ୍ନା ମଧ୍ୟ ନିଜର କ୍ରୋଧ ପ୍ରକାଶ କରିଛନ୍ତି । ମୁକେଶ କେବଳ ରଣବୀର ଏବଂ ସମୟଙ୍କୁ ନୁହେଁ, ବରଂ ସେମାନଙ୍କ କଥା ଶୁଣି ତାଳି ମାରୁଥିବା ଦର୍ଶକଙ୍କୁ ମଧ୍ୟ ସମାଲୋଚନା କରିଛନ୍ତି।
ସେ କହିଛନ୍ତି ଯେ ଆଜିକାଲି ୟୁଟ୍ୟୁବର ହେବାର ଅର୍ଥ ହେଉଛି ଭ୍ୟୁଜ୍ ପଛରେ ଗୋଡ଼ାଇବା । ଲୋକମାନେ ସେମାନଙ୍କୁ ଶୁଣୁଛନ୍ତି, ତେଣୁ ସେମାନେ ସମସ୍ତେ ୟୁଟ୍ୟୁବର । ଶୋ’ରେ ରଣବୀର ଯାହା କହିଛନ୍ତି ତାହାକୁ ଯେତେ ନିନ୍ଦା କଲେ ବି କମ୍ ହେବ ନାହିଁ । କିନ୍ତୁ କିଛି ଲୋକଙ୍କୁ ତାହା ପସନ୍ଦ ଆସିଛି। ସେସବୁ ଲୋକମାନେ ତାଙ୍କୁ ଶୁଣୁଛନ୍ତି । ୟୁଟ୍ୟୁବରମାନେ ଭୁଲ୍ ଦିଗରେ ଯାଉଛନ୍ତି । ସେମାନେ ଭାବୁଛନ୍ତି ଯେ ଯେତେ ଅଧିକ ଭ୍ୟୁଜ୍, ସେତେ ଅଧିକ ଲୋକପ୍ରିୟତା ଏବଂ ସେତେ ଅଧିକ ଟଙ୍କା । ସେମାନେ ଭୁଲ୍ ବିଷୟବସ୍ତୁକୁ ପ୍ରକାଶ କରୁଛନ୍ତି। ସେମାନଙ୍କର ଭାଷା ଜ୍ଞାନରେ ସଞ୍ଜମତା ନାହିଁ । ଏଭଳି ଲୋକପ୍ରିୟତା ସାଉଁଟୁଥିବା ଶୋ’ କରିବା ପରେ ଏଭଳି ଅଶାଳୀନ ମନ୍ତବ୍ୟ ଦେବା କେତେଦୂର ଠିକ୍?
ମୁକେଶ ଖାନ୍ନା କହିଛନ୍ତି ଶୋ’ରେ ରଣବୀର ଯାହା କହିଲେ ତାହା ସମସ୍ତଙ୍କୁ ପସନ୍ଦ ଆସିଲା ବୋଲି ବି କହିପାରିବାନି । ଯଦି ଏମିତି ହୋଇଥାନ୍ତା ତାହେଲେ ଲୋକ ଏକଥାକୁ ନେଇ ସଙ୍ଗେ ସଙ୍ଗେ ରିଆକ୍ଟ କରିଥାନ୍ତେ । ମତେ ଲାଗେ ଯେ ଏଭଳି ଲୋକଙ୍କୁ ଧରି ମାରିବା ଉଚିତ୍। ଏହି ଭିଡିଓ ଦେଖି ମୋର ରକ୍ତ ଗରମ ହୋଇଗଲା। ମୋତେ ବହୁତ ରାଗ ଆସିଲା ଯେ କହୁଥିବା ଲୋକ ତ କହିଦେଲା, କିନ୍ତୁ ସେଠାରେ ବସିଥିବା ଅନ୍ୟ ଲୋକମାନେ ତାଙ୍କୁ ଦେଖି ବାଃ ବାଃ କରୁଛନ୍ତି, ତାଳି ମାରୁଛନ୍ତି, ଯେପରି ସେ କୌଣସି ସାୟରୀ କିମ୍ବା କବିତା ଶୁଣାଇଛନ୍ତି। ମୁଁ ଦର୍ଶକଙ୍କୁ ମଧ୍ୟ ଭୁଲ୍ କହିବି ଯେ ସେମାନେ କାହିଁକି କିଛି କହିଲେ ନାହିଁ । କିନ୍ତୁ ସେମାନେ ସମସ୍ତେ ଭାବୁଛନ୍ତି ଯେ ଅଭିବ୍ୟକ୍ତିର ସ୍ୱାଧୀନତା ଅଛି, କିନ୍ତୁ ଏହି ଅଭିବ୍ୟକ୍ତିର ସ୍ୱାଧୀନତା ଆଜି ଦେଶକୁ ବର୍ବାଦ କରୁଛି।